ପ୍ରକୃତିର ସର୍ବଶ୍ରେଷ୍ଠ ଦାନ ଏହି ଜଗତକୁ ହେଉଛି ଗଛ ବା ବୃକ୍ଷ | ଗଛ ଆମପାଇଁ କେତେକଣ ସାହାଯ୍ୟ କରିଆସୁଅଛି କିନ୍ତୁ ଈଶ୍ଵରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ହୋଇମଧ୍ୟ ଆମେ ବିବେକଶୂନ୍ୟ ହୋଇଯାଇଛେ | ପ୍ରକୃତିର ଏହି ଉପକାର ବଦଳରେ ଆମେ ପରିବେଶକୁ ପ୍ରତିଦିନ ପ୍ରଦୂଷିତ କରୁଛେ, ଖାଦ୍ୟ ନଷ୍ଟ କରୁଛେ, ବହୁତ ଜୀବଜନ୍ତୁମାନଙ୍କୁ ମାରି ଖାଉଛେ ଆଉ ନଖାଇପାରିଲେ ଫୋପାଡି ଦଉଛେ | ଯେପରି ଦେହରେ ରୋଗ ହେଲେ ରୋଗର କାରଣକୁ ଖୋଜି ଶରୀର ନିଜ ପ୍ରତିରୋଦ୍ଧକ କ୍ଷମତା ଦ୍ଵାରା ଅନିଷ୍ଟ କରୁଥିବା ଜୀବାଣୁ ବା ପଦାର୍ଥକୁ ନଷ୍ଟ କରେ କାରଣ ଆମ ଶରୀର ସେଇଭଳିଭାବେ ଗଠନ ହୋଇଛି | ସେହିପରି ପ୍ରକୃତି ମଧ୍ୟ ଝଡ, ସୁନାମୀ, ବାତ୍ୟା, ବନ୍ୟା ଇତ୍ୟାଦି କରି ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି ଯଦି ଏହିପରି ଚାଲେ ତେବେ ସମୟ ଆସିବ ଏହି ସମ୍ପୂର୍ଣ ଜଗତକୁ ସ୍ଥିର କରିବାକୁ ପ୍ରକୃତି ଭୟଙ୍କର ରୂପ ନେଇ ସବୁ ନଷ୍ଟ କରିଦେବ | ଜଣେ ମହାନ ବ୍ୟକ୍ତି କହିଥିଲେ
“IF YOU NEED DESERT,
CUT ALL THE TREES” ଅର୍ଥାତ ଯଦି ତୁମେ ମରୁଭୂମି ଚାହୁଞ୍ଚ ତେବେ
ସମସ୍ତ ଗଛ କାଟିଦିଅ | ଅତ୍ୟାଧୁନିକ ହେବା ଲୋଭରେ
ମଣିଷସମାଜ ଜାଣତ ବା ଅଜାଣତରେ ସର୍ବପ୍ରଥମ ସମୟକୁ ଦ୍ରୁତଗତିରେ ଆଗେଇଚାଲିଛି |
ସେ ସମୟ ଆସିବା ପୂର୍ବରୁ ଆମକୁ
ଆଉଥରେ ପ୍ରକୃତି ଓ ତା’ର ସର୍ବଶ୍ରେଷ୍ଠ ଦାନର ମହତ ବିଷୟରେ ଜାଣିବାକୁ ପଡିବ ଓ ଅବହେଳା ଯୋଗୁଁ
ସ୍ମୃତିରୁ ବିଲୁପ୍ତପ୍ରାୟ ହୋଇଯାଇଥିବା ଜ୍ଞାନକୁ ସଂରକ୍ଷିତ କରି ଆମକୁ ଆମ ପାଖରେ ଥିବା
ସବୁଠାରୁ ଶ୍ରେଷ୍ଠ ଜିନିଷ ସମୟକୁ ଏଥିରେ ଉପଯୋଗ କରିବାକୁ ପଡିବ | ଯେଉଁ ସମୟକୁ ଆମେ ବେଖାତିର୍
ବା ଅବହେଳା କରିଚାଲିଅଛେ ସେ ସମୟର ସଦୁପଯୋଗ କରିବାକୁ ପଡିବ |
ବୃକ୍ଷ ଓ ତାହାର ଉପକାରିତା :
ଗଛ ଶୀଘ୍ର ଜଳବାୟୁ ପରିବର୍ତନକୁ ଅଟକାଇଥାଏ |
ଆମେ ଦଶମ ଶ୍ରେଣୀ ବିଜ୍ଞାନ ବହିରେ ଆଲୋକଶ୍ଳେଷଣ ବିଷୟରେ ପଢିଛେ
ଗଛ କିପରି ନିଜ ଖାଦ୍ୟ
ପ୍ରସ୍ତୁତ କରେ ଯାହାଦ୍ଵାରା ଗଛ ବାୟୁରୁ ଅଙ୍ଗାରକାମ୍ଳ ନେଇ ପରିଶେଷରେ ପରିବେଶକୁ ଅମ୍ଳଜାନ
ଛାଡ଼େ | ଏହାଦ୍ଵାରା ଆମ ପରିବେଶ ସଠିକ ରୂପେ ଚାଲିଥାଏ | କିନ୍ତୁ ଗଛ କାଟିବା ଦ୍ଵାରା ଏହି
ଆଲୋକଶ୍ଳେଷଣ ପ୍ରକ୍ରିୟାର ପରିମାଣ କମିଯାଇଥାଏ ଯେଉଁଥିପାଇଁ ପରିବେଶରେ ଅଙ୍ଗାରକାମ୍ଳର ପରିମାଣ
ବଢିଯାଇଥାଏ | ଅଙ୍ଗାରକାମ୍ଳର ପରିମାଣ ବଢିବା ଦ୍ଵାରା ଆମ ପରିବେଶରେ ଜଳବାୟୁର ପରିବର୍ତନ
ଅତିଶୀଘ୍ର ହୋଇଥାଏ କାରଣ ସୂର୍ଯ୍ୟଙ୍କ କିରଣ, ଗାଡିମଟର କିମ୍ବା କଳକାରଖାନାଗୁଡିକ
ପାଇଁ ଆମ ପରିବେଶରେ ଉତ୍ତାପ ବଢେ | କିନ୍ତୁ ପରିବେଶରେ ଥିବା ଅଙ୍ଗାରକାମ୍ଳ ସେ ଉତ୍ତାପକୁ ଧରିରଖେ ଏବଂ ଗରମ ବାୟୁକୁ କିମ୍ବା ବିଷାକ୍ତ ଗ୍ୟାସକୁ ଟ୍ରପୋସ୍ଫିୟର
ବାହାରକୁ ଯିବାକୁ ଦେଇନଥାଏ ଯାହାଦ୍ଵାରା ଜଳବାୟୁ ଗରମ ହୋଇଥାଏ, ଯାହାକୁ ଆମେ ସବୁଜଗୃହ ପ୍ରଭାବ
ମଧ୍ୟ କହିଥାଉ | ଉଦାହରଣ ହେଉଛି ଗ୍ରୀଷ୍ମଦିନେ ବହୁତ ଗରମ ହେବା, ଶୀତଦିନେ ବହୁତ ସମୟ ଧରି କୁହୁଡି ନଛାଡିବା
ଓ ବର୍ଷାଦିନେ କେବେ କେବେ ବର୍ଷା ନହୋଇ ଖରା ହେବା କିମ୍ବା ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଏବଂ
ସବୁଠାରୁ ଦୁଃଖଦାୟକ ହେଉଛି ଆମେ ବହିରେ ପଢିଥିବା ୬ଟି ଋତୁ ମଧ୍ୟରୁ
କେବଳ ୩ଟି ଋତୁ ଅନୁଭବ କରୁ |
ଗଛ ବାୟୁକୁ ସଫା ରଖେ |
ଗଛ ବାୟୁକୁ ସ୍ଵଚ୍ଛ
ରଖିପାରେ ଏବଂ କ୍ଷତିକାରକ ବାୟୁବାହିତ ଧୂଳିକଣା ଓ ଗ୍ୟାସୀୟ ପ୍ରଦୂଷକଗୁଡିକୁ ଶୋଷିନେଇପାରେ | ବିଷାକ୍ତ ପଦାର୍ଥ ଯଥା ନାଇଟ୍ରୋଜେନ ଅକ୍ସାଇଡ଼୍, ଏମୋନିୟା ଓ ସଲଫର୍
ଡାଇଅକ୍ସାଇଡ଼୍ କୁ ଗଛ ନିଜ ପତ୍ର, ଛାଲ ଓ ଚେରରେ ବାନ୍ଧିରଖେ | ବୈଜ୍ଞାନିକମାନେ
ଗବେଷଣା କରି କହିଛନ୍ତି ଉଦ୍ଭିଦ ଯଥା ପାହାଡୀ ଓସ୍ତ ଓ ସୋରିଷର ଚେର ମାଟିରୁ ପେଟ୍ରୋଲିୟମ ସଂଦୂଷିତ
ପଦାର୍ଥ ଓ ସୀସା ଇତ୍ୟାଦିକୁ ବାହାର କରିଦିଏ | ଦେବଦାରୁ ଓ ଓକ୍ ଭଳି ଗଛ ବାୟୁରୁ ଅଙ୍ଗାରକାମ୍ଳକୁ
ଅଧିକ ପରିମାଣରେ ଶୋଷିନିଅନ୍ତି | କେତେକ ପର୍ଯ୍ୟାବରଣବିତ୍
ମଧ୍ୟ କହିଛନ୍ତି ଯେ କେବଳ ରାସ୍ତାକଡ଼ ଗଛଗୁଡିକ ବାୟୁକୁ ଅତିମାତ୍ରାରେ ସ୍ଵଚ୍ଛ କରିପାରିବ ନାଁହି ସେଥିପାଁଇ ଆମକୁ ରାସ୍ତାରେ
ଥିବା ଲାଇଟ୍ ଖୁଣ୍ଟି ମଝିରେ, ବଡ ବଡ କଳକାରଖାନା କିମ୍ବା ଘରମାନଙ୍କର
ପାଚେରିଗୁଡିକରେ ବୁଦାମାନଙ୍କର ଧାଡ଼ି ଓ ଗଛ ଲଗାଇବା ଉଚିତ |
ଗଛ ବାୟୁମଣ୍ଡଳକୁ ଥଣ୍ଡା ରଖେ ଏବଂ ଶରୀରର ଅବିବୃଦ୍ଧିରେ ସାହାଯ୍ୟ କରେ
ଗଛ ଚେରରୁ ଆଣିଥିବା ଜଳକୁ ଖାଦ୍ୟ ପ୍ରସ୍ତୁତ କରିସାରିଲା ପରେ ଅବଶିଷ୍ଟ ଜଳକୁ ଜଳୀୟବାଷ୍ପରେ
ପରିଣତ କରି ଆମ ବାୟୁମଣ୍ଡଳକୁ ଥଣ୍ଡା ରଖେ | ଏହିପରି ଗଛ ବହୁତମାତ୍ରାରେ ଜଳକୁ ବାୟୁମଣ୍ଡଳକୁ ଜଳୀୟବାଷ୍ପ
ଆକାରରେ ଛାଡି ଗ୍ରୀଷ୍ମଦିନେ ହେଉଥିବା ଗରମ ଓ ଆଦ୍ରତାକୁ ନିଯନ୍ତ୍ରଣରେ ଆଣିଥାଏ | ଉଦାହରଣ ଆମେ ଗଛର ଛାଇ ପଡିଥିବା ଜାଗାରେ ଚାଲିଗଲେ ଥଣ୍ଡା ଲାଗେ ଏବଂ ଆନନ୍ଦ
ଅନୁଭବ କରୁ | ଅନ୍ୟ ଏକ ଉଦାହରଣ ହେଉଛି ଛାଇ ଅଧିକ ଥିବା ରାସ୍ତାରେ ଚାଲିଗଲେ ଆମକୁ ଥକା
ଲଗେନାହିଁ ଏବଂ ସମୟ ମଧ୍ୟ ଜଣାପଡେନାହିଁ | କେତେକ ମନୋବିଜ୍ଞାନୀମାନେ
କହିଛନ୍ତି ଯେ ଗଛ ଘରର ଚାରିପାଖରେ ରହିଲେ ଘରେ ସବୁବେଳେ ସୁଖଶାନ୍ତି ଅନୁଭବ ହୁଏ ଏବଂ ଠିକ
ସମୟରେ ଭୋକ ଓ ନିଦ ହୁଏ ଯାହାଦ୍ଵାରା ଶରୀରର ଅବିବୃଦ୍ଧି ଠିକ୍ ଭାବେ ହୋଇଥାଏ | ଅର୍ଥାତ ମନୋବିଜ୍ଞାନୀମାନେ
ଗବେଷଣା କରି କହିଛନ୍ତି ଯେଉଁ ଘର ଚତୁରପାର୍ଶ୍ଵରେ ଗଛ ଥାଏ ସେହି ଘରେ କମ ଅଶାନ୍ତି ଓ
ରୋଗିଣା ଲୋକ ଦେଖିବାକୁ ମିଳନ୍ତି ଏବଂ ସେହି ଘରେଥିବା ଲୋକମାନଙ୍କର ମନୋଦଶା ଠିକ୍ ଥିବାରୁ
ସେମାନଙ୍କ ମନରେ ଭୟ ଓ ମସ୍ତିଷ୍କ ଅପରିପକ୍ଵ ହୋଇନଥାଏ | ସେଇଭଳି ଲୋକ ସବୁ କ୍ଷେତ୍ରରେ ସୁନାମ
ଅର୍ଜନ କରିଥାନ୍ତି |
ରୋଗିଣା ଲୋକର ଝରକା ପାଖରେ ଗଛଗୁଡିକ
ଥିଲେ ସେ ଲୋକଟି ବହୁତ ଶୀଘ୍ର ସୁସ୍ଥ ହୋଇଯାଏ | ତେଣୁ ପ୍ରତ୍ୟେକ ରୋଗୀଙ୍କୁ ଡାକ୍ତରଖାନାରେ
ଚିକିସ୍ଛା ସହ ପ୍ରକୃତିସହ ନିତିଦିନ ମିଶିବାର ସୁଯୋଗ ଦିଆଯିବା ଦରକାର |
ଛୁଆମାନଙ୍କ
ଠାରେ ଦେଖାଯାଉଥିବା ADHD (Attention Deficit
Hyperactivity Disorder) ରୋଗ ମଧ୍ୟ ହୋଇନଥାଏ କିମ୍ବା ସେ ରୋଗ
ହେବାର ସମ୍ଭାବନା କମ ଥାଏ |
ADHD (Attention Deficit Hyperactivity Disorder)
ଅଟେନ୍ସନ୍ ଡେଫିସିଟ୍ ହାୟପର୍-ଆକ୍ଟିଭିଟି ଦିସ୍ଅର୍ଡର (ADHD) ନାମକ ରୋଗ ସବୁ ବୟସର ଲୋକଙ୍କ ପାଖରେ ଦେଖାଦେଇଥାଏ କିନ୍ତୁ ୪ବର୍ଷ ରୁ ନେଇ ୧୭ବର୍ଷ ବୟସର
ପିଲାଙ୍କ ପାଖରେ ଅତ୍ୟଧିକ ଦେଖାଯାଇଥାଏ | ପ୍ରତିବର୍ଷ ଏହି ରୋଗ ନାବାଳକମାନଙ୍କ ଠାରେ ବଢିବାରେ
ଲାଗିଛି |
ଲକ୍ଷଣ :
·
ପ୍ରତ୍ୟେକ କାର୍ଯ୍ୟରେ ଅସାବଧାନୀ ବା ଧ୍ୟାନକେନ୍ଦ୍ରିତ କରିବାରେ ଅସମର୍ଥ ହେବା
|
·
ଅତିସକ୍ରିୟତା ଅର୍ଥାତ ଅଶାନ୍ତଚିତ, ଅମାନିଆ, ଅତ୍ୟଧିକ ଅଯଥା
କଥାବାର୍ତା କରିବା ଓ ସର୍ବଦା ଅସ୍ଥିରତା ଦେଖାଦେବା |
·
ଆବେଗଶୀଳ ଅର୍ଥାତ ବହୁତ ସମୟରେ ଦେହରେ ଘା କିମ୍ବା ଅସ୍ଥିରତା ଯୋଗୁଁ ଖଣ୍ଡିଆଖାବରା ହେବା, ଅନେକ
ଏଲର୍ଜି ଦେଖାଯିବା, ବହୁତ ସମୟରେ ନିରାଶ ହୋଇ ଜଲ୍ଦି ରାଗିଯିବା, ଅତ୍ୟଧିକ ଉତ୍ତେଜିତ ହୋଇ
ସର୍ବଦା ଝଗଡା କରିବା, ମସ୍ତିଷ୍କର ଅପରିପକ୍ଵତା ଯୋଗୁଁ ସଠିକ୍ ନିର୍ଣୟ ନେଇନପାରିବା, ତରବରିଆ ହୋଇ ସବୁ କାମ କରିବା, ପ୍ରତୀକ୍ଷା କରିବାରେ ଅସମର୍ଥ ହେବା, ଅପବ୍ୟୟୀ ହେବା, ଆତ୍ମସମ୍ମାନ ହରେଇବା, ସର୍ବଦା ସମସ୍ତଙ୍କର ଧ୍ୟାନ ନିଜ ଆଡକୁ
ଆଣିବାକୁ ଇଚ୍ଛୁକ ହେବା ଏବଂ କୌଣସି କାର୍ଯ୍ୟ ଠିକ୍ ହେଉ ବା ଭୂଲ୍ ନୀଡରଭାବେ
ସମ୍ପାଦିତ କରିବା |
ଏଥି ମଧ୍ୟରୁ କେତେକ ଛୋଟ ଛୁଆ, ଯୁବକ ବା ଯୁବତିମାନଙ୍କ ପାଖରେ କିମ୍ବା ବୟସ୍କ ଲୋକଙ୍କ
ପାଖରେ ଦେଖାଦେଇଥାଏ |
ଏହି ଲକ୍ଷଣ ଯୋଗୁଁ ଦେଖାଦେଉଥିବା ଦୁଷ୍ପରିଣାମ:
·
ନିଦ୍ରାଜନିତ ସମସ୍ୟା
·
ମନରେ ଅସ୍ଥିରତା ବା ଚଞ୍ଚଳତା ଅର୍ଥାତ
କେବେ ବହୁତ ଖୁସି ତ କେବେ ବହୁତ ଦୁଃଖୀ |
·
ସ୍ମୃତି ହ୍ରାସ ହେବା ଅର୍ଥାତ ବହୁତ ଶୀଘ୍ର ଭୁଲିଯିବା |
·
ଖାଦ୍ୟ ଖାଇବାରେ ଅନିଚ୍ଛା ପ୍ରକଟ କରିବା |
·
ହୃଦୟଜନିତ ରୋଗରେ ପୀଡ଼ିତ ହେବା |
·
ଆତ୍ମହତ୍ୟା କରିବା କିମ୍ବା କରିବାକୁ ଭାବିବା |
ଏହି ସମସ୍ୟାକୁ ଦୂର କରିବାର ଉପାୟ:
·
ପ୍ରଚୁର ପରିମାଣରେ ଜଳଥିବା ଫଳ ଅର୍ଥାତ ତରଭୁଜ, ସପୁରି, ସପେଟା, ପିଜୁଳି, ଡାଳିମ୍ବ,
ଆମ୍ବ, ଅଙ୍ଗୁର ଇତ୍ୟାଦି ଖାଇବା | ଖଟା, ରାଗ, ତେଲ, ମିଠା, ମସଲା ଓ
ଚର୍ବୀଜାତୀୟ ଖାଦ୍ୟ ବହୁତ କମ ଖାଇବା ଯେପରି ଚିପ୍ସ, ଛଣାଛଣି ଖାଦ୍ୟ, ଜିଲାପି | କାରଣ ତେଲ ଓ ମସଲା ଶରୀରକୁ ଗରମ କରିଥାଏ | ଆମେ ଉପରେ ପଢିଲେ ଗଛ ନିଜ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ
ଅଙ୍ଗାରକାମ୍ଳର ସାହାଯ୍ୟ ନେଇଥାଏ ଏବଂ ତାର ପତ୍ର, ଛାଲ ଓ ଚେର ପ୍ରଦୂଷକମାନଙ୍କୁ ଶୋଷିରଖି ପରିବେଶକୁ ସ୍ଵଚ୍ଛ ରଖେ | ମସଲା ଗଛର ପତ୍ର, ଛାଲ ଓ ଚେରରୁ ତିଆରି
ହେଇଥାଏ ତେଣୁ ଅଧିକ ମସଲା ଖାଇବାଦ୍ଵାରା ଦେହ ଉତ୍ତେଜିତ ହୋଇଥାଏ ଯାହାଦ୍ଵାରା ଆମ ମସ୍ତିଷ୍କ ସଠିକ
ନିର୍ଣୟ ନେଇପାରିନଥାଏ |
• ପ୍ରଚୁର ପରିମାଣରେ ପୃଷ୍ଟିସାରଜାତୀୟ
ଖାଦ୍ୟ ଖାଇବା ଉଚିତ ଯଥା ଡାଲିଜାତୀୟ ଖାଦ୍ୟ ମୁଗ, ବିରି, ହରଡ଼, ସିମ୍ବ, ଝୁଡଙ୍ଗ ଓ ଅଣ୍ଡାର
ଉପରିଭାଗ ଧଳାଅଂଶ, ସୋୟାବୀନ |
• ଆମିଷ ଖାଦ୍ୟ କମ ଖାଇବା | କାରଣ ଗବେଷଣାରୁ
ଜଣାପଡିଛି ଯେ ଆମିଷ ଖାଉଥିବା ଲୋକମାନଙ୍କ ପାଇଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢୁଛି |
• ଭିଟାମିନ ପ୍ରଚୂର ଥିବା ଖାଦ୍ୟ ଖାଇବା | ସିଝା ଆଳୁ, ସାଲମନ ମାଛ, ପିସ୍ତା, ସର୍ବଦା ସବୁଜ ପନିପରିବା
ଖାଇବା ଉଚିତ ଯେପରି ଶାଗ, ଫୁଲ କୋବି, ପତ୍ରକୋବି, କଦଳୀ | ସବୁଦିନ ଭିଟାମିନ ପ୍ରଚୂର ଥିବା ଖାଦ୍ୟ କିଛି ମାତ୍ରାରେ ଖାଇବା ଉଚିତ |
• ଖଣିଜପଦାର୍ଥ ଅଧିକ ଥିବା ଖାଦ୍ୟ ଯେପରି
ଓଟ୍ସ୍, ପିଆଜ, ବିଟ୍, ଭିଜାଯାଇଥିବା ମୁଗ ବା ଚଣା, ଛତୁ, ମକା, ବାଜରା, ପଇଡ |
• ପ୍ରଚୁର ମାତ୍ରାରେ ପାଣି ପିଇବା ଓ ଯୋଗ ବା
ବ୍ୟାୟାମ କରିବା ବା କରିବାକୁ ପ୍ରେରିତ କରିବା |
• ସକାଳୁ ଦୌଡିବା, ଧ୍ୟାନ କରିବା, ସାଇକେଲ ଚଳାଇବା ବା
କରିବାକୁ ପ୍ରେରିତ କରିବା |
• ଠିକ ସମୟରେ ଶୋଇବା ଓ ଠିକ ସମୟରେ ଉଠିବା
ପାଇଁ ଚେଷ୍ଟା କରିବା ବା ଅଭ୍ୟାସ୍ କରାଇବା | ଦିନକୁ ୬ଘଣ୍ଟାରୁ ବେଶୀ କିମ୍ବା କମ
ଶୋଇବା ନାଁହି |
• ସାଙ୍ଗମାନଙ୍କସହ ଖେଳକୁଦ କରିବା ବା
କରିବାକୁ ପ୍ରେରିତ କରିବା ଯେଉଁଥିରେ ମସ୍ତିଷ୍କ ଓ ଦେହ ଉଭୟ ମିଶି କାମ କରୁଥିବେ |
• ସଂସ୍କୃତି, ପରିବେଶ ଓ ପ୍ରକୃତି
ବିଷୟରେ ଜାଣିବା ବା ଜଣେଇବା |
• ବିଭିନ୍ନ ଜାଗାକୁ ବୁଲିବାକୁ ଯିବା ବା
ବୁଲେଇନେବା ଏବଂ ସେହି ଜାଗାବିଷୟରେ ଜାଣିବାକୁ ଚେଷ୍ଟା କରିବା ବା ଜଣେଇବା |
• ଗୀତ ଓ ନାଚ ଇତ୍ୟାଦି ଶିଖିବା ବା ଶିଖେଇବା
|
• ଭିଡିଓଗେମ୍ ଜାତୀୟ ଖେଳ ଖେଳିପାରିବା |
ଆମେ ଏହିସବୁ କାର୍ଯ୍ୟ କରି ଆମ ମସ୍ତିଷ୍କକୁ ଓ ମନକୁ ସ୍ଥିର କରିପାରିବା କିନ୍ତୁ ସଠିକ
ମାତ୍ରାରେ ଏ ସବୁ କାର୍ଯ୍ୟ କରିବାଦ୍ଵାରା ଉତ୍ତମ ଫଳ ମିଳେ |
ଗଛ ମୂର୍ତିକାକ୍ଷୟକୁ ବଞ୍ଚାଇଥାଏ ଓ ଜଳ ସଂରକ୍ଷଣ କରିଥାଏ |
ଗଛ ପ୍ରଥମେ ମାଟିକୁ ବର୍ଷାର ପ୍ରଭାବରୁ ନିଜ ଡାଳ, ପତ୍ର ସାହାଯ୍ୟରେ ବଞ୍ଚାଇଥାଏ ଏବଂ
ତାପରେ ଜଳସ୍ରୋତରୁ ମାଟିକୁ ନିଜ ଚେରଦ୍ଵାରା ଜାବୁଡି ରଖି ମୂର୍ତିକାକ୍ଷୟରୁ ବଞ୍ଚାଏ | ପ୍ରତି ବର୍ଷ ଭାରତରୁ
୫.୩ସହ କୋଟି ଟନର ମାଟି ବା ୧୬.୪ ଟନ ହେକ୍ଟରପିଛା ମାଟି ବୋହିଯାଉଛି ବା କ୍ଷୟ ହେଉଛି | ଏହି କ୍ଷୟ ହିମାଳୟ, ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳାରେ ଅତିମାତ୍ରାରେ ଦେଖାଯାଏ | ପୂର୍ବଘାଟ ପର୍ବତମାଳା ଉତ୍ତର ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କିଛି ଅଂଶ କର୍ଣାଟକ ଓ
ପରିଶେଷରେ କେରଳର ୱୟାନନ୍ଦ ଜିଲ୍ଲାରେ ସରିଥାଏ | ସେହିପରି ପଶ୍ଚିମଘାଟ ପର୍ବତମାଳା କେରଳ, ତାମିଲନାଡୁ ଦେଇ କର୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜୁରାଟ୍ ରେ ସରିଥାଏ | ଭାରତରେ ହିମାଳୟ ପର୍ବତମାଳା ଜାମୁ ଓ କାଶ୍ମୀର, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବସ୍ତୃତ | ଏହାର ଅର୍ଥ ଏହି ୩ଟି ପର୍ବତମାଳା ସମ୍ପୂର୍ଣ ଭାରତବର୍ଷକୁ ଘେରି ରହିଛି | ତେଣୁ
ଏହି ୩ଟି ପର୍ବତମାଳାରୁ ମାଟି କ୍ଷୟ ହେବା
ହେତୁ ବହୁତ କ୍ଷତି ହେଉଛି |
ଗବେଷଣାରୁ ଜଣାପଡିଛି ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳାରୁ ବର୍ଷକୁ ୪୦-୫୦ ଟନ ହେକ୍ଟରପିଛା ମାଟି
ବୋହିଯାଉଛି ବା କ୍ଷୟ ହେଉଛି | ଗଣନା ଅନୁଯାୟୀ ଏହା ମାଟିର ଉପରିଭାଗ ୩ ମିଲିମିଟର କିନ୍ତୁ ୧ ମିଲିମିଟର
ମାଟିର ଉପରିଭାଗ ତିଆରି ହେବାକୁ ୩୦-୪୦ ବର୍ଷ ଲାଗେ | ଭଲ ଫସଲ ହେବାକୁ ୧୫୦ ମିଲିମିଟର ମାଟିର
ଉପରିଭାଗ ଲାଗିଥାଏ | ଭାରତବର୍ଷରେ ହାରାହାରି ମାଟିର ଉପରିଭାଗ ୧୮୦ ମିଲିମିଟର ତେଣୁ ଯଦି ଏହିପରିଭାବେ
ମାଟି କ୍ଷୟ ହୋଇଚାଲେ ସମ୍ପୂର୍ଣ ମାଟିର ଉପରିଭାଗ ସମାପ୍ତ ହେବାକୁ ମାତ୍ର ୩୫ ବର୍ଷ ଲାଗିବ | ତେଣୁ
ଆମକୁ ଏବେଠାରୁ ସାବଧାନ ହେବାକୁ ପଡିବ ନହେଲେ ସମ୍ପୂର୍ଣ ଭାରତବର୍ଷ ସମୁଦ୍ରଗର୍ଭରେ ଥିବ ଯଦିବି
ନଥିବ ତେବେ ବଞ୍ଚିଥିବା ସ୍ଥଳଭାଗରେ ଫସଲ କରିବା ଅସମ୍ଭବ ହୋଇଯିବ ଯାହାଦ୍ଵାରା ଧନଜୀବନ ବହୁତ ହାନି ହେବ |
ଅନ୍ୟଏକ ମହତ୍ୱପୂର୍ଣ ତଥ୍ୟ ହେଉଛି ଗଛ ଜଳ ସଂରକ୍ଷଣ ମଧ୍ୟ କରେ | ଗବେଷଣାରୁ ଜଣାପଡିଛି ଏକ ବଢୁଥିବା ଗଛ ଦିନକୁ ୧୨-୧୫
ଗ୍ୟାଲନ୍ ଜଳ ଆବଶ୍ୟକ କରେ | ୧ ଗ୍ୟାଲନ୍ ହେଉଛି
ହାରାହାରି ୩.୮ ଲିଟର୍ | କିନ୍ତୁ ଗଛଟି ସମ୍ପୂର୍ଣରୂପେ ପରିପକ୍ଵ ହେଇଗଲେ ୨୦୦-୪୦୦ ଗ୍ୟାଲନ୍ ଜଳ
ପ୍ରତ୍ୟେକ ଦିନ ବାୟୁମଣ୍ଡଳକୁ ଜଳୀୟବାଷ୍ପ ହିସାବରେ ଛାଡ଼ିଥାଏ | ଗଛର ଛାଇ, ଚେର ଓ ଗଛ
ଚାରିପାଖରେ ଉଠିଥିବା ତୃଣ ମାଟିରୁ ଜଳକୁ ବାଷ୍ପୀଭୂତ ହେବାକୁ ଦେଇନଥାଏ ଯାହାଦ୍ୱାରା ମାଟି
ଉର୍ବର ଓ ହାଲକା ହୋଇ ରହିଥାଏ ଏବଂ ବର୍ଷା ହେଲେ ମାଟି ଉପରିଭାଗ ହାଲକା ହୋଇଥିବାରୁ ବର୍ଷାଜଳ
ମାଟି ମଧ୍ୟଦେଇ ଭୂତଳ ଜଳ ସହ ମିଶିଥାଏ ଯେଉଁ ଜଳକୁ ଆମେ ପ୍ରତିଦିନ ନଷ୍ଟ କରୁଛେ କିମ୍ବା ନିଜ
କାମରେ ଲଗାଉଛେ | କୌଣସି ସ୍ଥଳଜାଗା ବହୁତ ଦିନ ଧରି ଗଛ ଅଭାବ ରେ ମରୁଭୂମିରେ ପରିଣତ ହୋଇଥାଏ
କାରଣ ଯେଉଁଠାରେ ଗଛ ନାହିଁ ସେଠାରେ ଜଳ ମଧ୍ୟ ରୁହେ ନାହିଁ ଯେପରି ଭାରତରେ ବହୁତ ବିଲୁପ୍ତପ୍ରାୟ
ନଦୀଙ୍କ ମଧ୍ୟରେ କାବେରୀ ନଦୀର କାହାଣୀ |
ଗଛ
ମଧ୍ୟ ବର୍ଷା କରେଇବାରେ ସାହାଯ୍ୟ କରିଥାଏ | ଅନୁସନ୍ଧାନରୁ ଜଣାପଡିଛି ପୃଥିବୀରେ ବର୍ଷା ହେବାର
କାରଣ ମୁଖ୍ୟତ ସମୁଦ୍ର ଓ ବୃକ୍ଷ | କିନ୍ତୁ ଗଛ ପାଇଁ ପୃଥିବୀରେ ଜଳଚକ୍ର ସୃଷ୍ଟି ହୋଇପାରେ
ଯାହାଦ୍ୱାରା ବର୍ଷା ହୋଇଥାଏ ଏବଂ ଅଧିକାଂଶ ପରିମାଣର ବର୍ଷା ବୃକ୍ଷ ବା ଗଛ ହେତୁ ସମ୍ଭବପର ହୁଏ
| ଏହାଦ୍ଵାରା ଜଳସ୍ରୋତରୁ ବର୍ଷାଜଳ ଭୂତଳ ଜଳ ଏବଂ ନାଳ ଓ ପୋଖରିଦେଇ ନଦୀକୁ ଯାଇଥାଏ | ନିମ୍ନଚିତ୍ର
ଜଳଚକ୍ରକୁ ଦର୍ଶାଉଛି |
ଗଛ ଜଳକୁ ସ୍ଵଚ୍ଛ କରିଥାଏ
ଗଛ ପ୍ରଥମେ ବର୍ଷୁଥିବା
ଜଳର ବେଗକୁ କମାଇଦେଇ ନିଜ ପତ୍ର ଓ ଡାଳ ସାହାଯ୍ୟରେ ଜଳକୁ କିଛି ପରିମାଣରେ ସ୍ଵଚ୍ଛ କରିଥାଏ ଏବଂ
ମାଟିକୁ ସେହି ଜଳ ଶୋଷିବାରେ ସାହାଯ୍ୟ କରେ | ଏହାପରେ ମାଟିଉପରେ ଥିବା ତୃଣ କିମ୍ବା
ଖସିପଡ଼ିଥିବା ପତ୍ର ବା ଭାଂଗିଯାଇଥିବା ଡାଳର କିଛି ଅଂଶ ଜଳକୁ କିଛି ମାତ୍ରାରେ ସ୍ଵଚ୍ଛ
କରିଥାନ୍ତି | ଶେଷରେ ଗଛର ଚେର ଜଳରୁ ପ୍ରଦୂଷକ ଓ ଅଦରକାରୀ ପଦାର୍ଥଗୁଡିକୁ ସୋଷିନିଏ ଏବଂ
ସେଥିରୁ କିଛି ଜଳ ନିଜ ପାଇଁ ଓ ଆଖପାଖରେ ଥିବା ଗଛ ବା ତୃଣମାନଙ୍କ ପାଇଁ ସଞ୍ଚିତ କରି ରଖେ |
ଏହାପରେ ସେଥିରୁ କିଛି ଜଳକୁ ବାୟୁମଣ୍ଡଳକୁ ଜାଳିଅବାଷ୍ପ ଆକାରରେ ଛାଡିଦିଏ | ଗଛର ଚେର ମାଟିକୁ
ଏକ ଜାଲି ବା ଚାଲୁଣି ଭଳି କରିଦେବା ଫଳରେ ଜଳ ସେଠାରେ ମଧ୍ୟ ଛାଣିହୋଇ ଭୂତଳଜଳ ସହ ମିଶିଥାଏ |
ଗଛ ଚେର ମାଟିରୁ ଆର୍ଦ୍ରତା ଟାଣିନେଇ ମାଟିକୁ ଜଳ ଧାରରଖିବାରେ ସାହାଯ୍ୟ କରେ |
ଗଛ ଶକ୍ତି ସଂରକ୍ଷଣ କରେ ଏବଂ ଶବ୍ଦ ପ୍ରଦୂଷଣ ମଧ୍ୟ କମ କରିଦିଏ |
ଗଛ ଘରର ଚତୁରପାର୍ଶ୍ଵରେ ମାତ୍ର ୩ଟି ଗଛ ଠିକ୍ ସ୍ଥାନରେ ରହିଲେ ଗ୍ରୀଷ୍ମଦିନେ ବା ଶୀତଦିନେ ଘରର
ତାପମାତ୍ରା ନିୟତ୍ରଣ କରେ ଏବଂ ବାହାରର ଧୁଳି ଓ ପ୍ରଦୂଷିତ ବାୟୁକୁ ଘରଭିତରକୁ ପ୍ରବେଶ କରିବାକୁ ଦିଏନାହିଁ | ଯାହାଦ୍ଵାରା ଆମ ଜିନିଷଗୁଡିକରେ ଅତିଶୀଘ୍ର ଧୂଳିମଳି
ଲାଗି ଖରାପ ହୁଏନାହିଁ କିମ୍ବା ଆମକୁ ପଙ୍ଖା ଏତେ ବ୍ୟବହାର କରିବାକୁ ପଡେନାହିଁ | ତେଣୁ ଘରର
ଦକ୍ଷିଣ ଓ ପଶ୍ଚିମରେ ଏପରି ଗଛ ଲଗାଇବା ଯାହାକି ଶୀତଦିନେ ପତ୍ରଝଡା ଓ ଗ୍ରୀଷ୍ମଦିନେ ଛାୟା
ଦେଇପାରୁଥିବ ଏବଂ ଟିକେ ଦୂରରେ ଲଗାଇବା ଯେପରି ନଡିଆ, ଲେମ୍ବୁ, ଆମ୍ବ, ପଣସ, ନିମ୍ବ ଇତ୍ୟାଦି
ଗଛ | ପୂର୍ବ କିମ୍ବା ଉତ୍ତରରେ କେବଳ ଛୋଟ ଉଦ୍ଭିଦ ଯଥା ମନ୍ଦାର, ନାଗଫେଣୀ, ତୁଳସୀ ଇତ୍ୟାଦି
କିନ୍ତୁ କୌଣସି ଗଛ ଉତ୍ତରପୂର୍ବ ଦିଗରେ ଲଗାଯିବା ଉଚିତ ନୁହଁ କାରଣ ସକାଳର ସୂର୍ଯ୍ୟଙ୍କ କିରଣ ଶରୀର
ପାଇଁ ଉପଯୋଗୀ | ବହୁତ ବଡ ବଡ
ଗଛ ଯେପରି ଅଶ୍ୱତଥ ବା ବର ଗଛର ଚେର ଅତ୍ୟଧିକ ଲମ୍ବା ହୋଇଥିବାରୁ ଘର ସେଭଳି ଗଛ ନିକଟରେ ନକରି
ଟିକେ ଦୂରକୁ କରିବା ଭଲ ବା ଘରର ଅତି ନିକଟରେ ଲଗାଇବା ଉଚିତ ନୁହଁ ଏହା ଘରର ମୂଳଦୁଆକୁ
ଭାଙ୍ଗିଦେଇପାରେ |
ବିଭିନ୍ନ କଳକାରଖାନା ଗୁଡିକରେ ଅଙ୍ଗାରକାମ୍ଳ ବିଶୋଧନ କରିବାପାଇଁ ଶକ୍ତି
ବ୍ୟୟ ହୁଏ ବୃକ୍ଷରୋପଣ ଦ୍ଵାରା ସେ ଶକ୍ତିକୁ ଆମେ ବଞ୍ଚାଇପାରିବା |
ଘର ଆଖପାଖରେ ବହୁତ ଗଛ ରହିଲେ
ବାହାରୁ ଆସୁଥିବା ଅତ୍ୟଧିକ ଶବ୍ଦ ବା ତରଙ୍ଗ କମ ହୋଇଯାଇଥାଏ ଯାହାଦ୍ୱାରା ଘରେ ଶାନ୍ତି ଲାଗେ,
ମନ ସ୍ଥିର ରୁହେ, ଶରୀରର ଅବିବୃଦ୍ଧି ଠିକ୍ ଭାବେ ହୋଇଥାଏ |
ଗଛ ବା ଉଦ୍ଭିଦ ବହୁତ ଦରକାରୀ ଜିନିଷ ଯୋଗାଇଥାଏ |
·
ଶାଳ, ଓସ୍ତ, ଶାଗୁଆନ ଇତ୍ୟାଦି ଗଛ ରୁ
କାଠ |
·
ଆମ୍ବ, ପଣସ, କଦଳୀ, ପିଜୁଳି, ପଇଡ
ଇତ୍ୟାଦି ରୁ ଫଳ |
·
ଅଶ୍ୱତଥ, ବର ଇତ୍ୟାଦି ବାୟୁକୁ ବହୁତ ପରିମାଣରେ ଅମ୍ଳଜାନ ଛାଡ଼ନ୍ତି |
·
ନିମ୍ବ, ତୁଳସୀ, ହଳଦୀ, ଚନ୍ଦନ ଇତ୍ୟାଦି ଗଛରୁ ଔଷଧ |
·
ଆମ୍ବର ପତ୍ର ପେଷ୍ଟିସାଇଡ଼୍ ରୂପେ ଓ ତାହାର ଡାଳ ଦାନ୍ତ ଘଷିବା ପାଇଁ ବ୍ୟବହାର କରାଯାଏ |
·
ପଇଡ, ସୋରିଷ, ସୂର୍ଯ୍ୟମୁଖୀ ରୁ ତେଲ |
·
ନଳିତାରୁ ସୂତା ମିଳିଥାଏ |
ଗଛ ଏହିପରି ଆମ ଭଳି ପରଭୋଜୀ ଜୀବଜନ୍ତୁଙ୍କ ପାଇଁ ସବୁଦିନ
ସବୁସମୟରେ ସାହାଯ୍ୟ କରିଆସୁଛି | ଏବେ ଆମ କାମ
ହେଉଛି ଉଦ୍ଭିଦକୁ ବଞ୍ଚାଇବା, ତା ପାଇଁ ନହେଲେ
ବି ନିଜ ପାଇଁ ଓ ସାରାଜଗତକୁ ବଞ୍ଚାଇବା ପାଇଁ ପ୍ରତି ଜନ୍ମଦିନରେ ୧ଟି ଗଛ ଲଗାଇବା ଏବଂ ଅନ୍ୟ
ସମସ୍ତଙ୍କୁ ଗଛର ଉପକାରିତା ବିଷୟରେ ବୁଝାଇ ଏ ପୃଥିବୀକୁ ପୁଣିଥରେ ସବୁଜିମାରେ ଭରିଦେବା |

Comments
Post a Comment